ୟୁଜିସି ପକ୍ଷରୁ ଜାରି ହୋଇଛି ନୂଆ ଗାଇଡଲାଇନ୍ । ଏଣିକି ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନରୁ ଡିଗ୍ରୀ ହାସଲ କରୁଥିବା ଛାତ୍ରଛାତ୍ରୀଙ୍କୁ ସଠିକ୍ ସମୟରେ ମିଳିବ ସାର୍ଟିଫିକେଟ୍ ଓ ମାର୍କସିଟ୍ । ଏ ନେଇ ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି ଓ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ୟୁଜିସି ଚିଠି ଲେଖିଛି ।
ୟୁଜିସି ପକ୍ଷରୁ ଚିଠିରେ ଉଲ୍ଲେଖ କରାଯାଇଛି, ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଛାତ୍ରଛାତ୍ରୀ ସ୍ନାତକ, ସ୍ନାତକୋତର ଓ ପିଏଚଡି ଡିଗ୍ରୀ ହାସଲ କରିବା ପରେ ସେମାନଙ୍କୁ ସଠିକ୍ ସମୟରେ ସାର୍ଟିଫିକେଟ୍ ସହ ମାର୍କସିଟ୍ ମିଳୁନାହିଁ । ଶିକ୍ଷାନୁଷ୍ଠାନଗୁଡିକ ପିଲାଙ୍କୁ ସାର୍ଟିଫିକେଟ୍ ଦେବାରେ ଅନେକ ବିଳମ୍ବ କରୁଛନ୍ତି । ଛାତ୍ରଛାତ୍ରୀଙ୍କ ପକ୍ଷରୁ ବାରମ୍ବାର ଏନେଇ ଅଭିଯୋଗ ଆସୁଛି । ସେହିପରି ସାର୍ଟିଫିକେଟ୍ ମିଳିବାରେ ବିଳମ୍ବ ହେଉଥିବାରୁ ପିଲାଙ୍କ ଉଚ୍ଚଶିକ୍ଷା ମଧ୍ୟ ଗୁରୁତର ପ୍ରଭାବିତ ହେଉଛି । ଏପରି କି ସେମାନଙ୍କ ନିଯୁକ୍ତିରେ ଅନେକ ସମସ୍ୟା ମଧ୍ୟ ଉପୁଜୁଛି ।
ତେଣୁ ଏହାକୁ ଗୁରୁତ୍ୱର ସହ ନେବା ସହିତ ଏ ସମ୍ପର୍କିତ ଅଧିନିୟମକୁ କଡ଼ାକଡି ଭାବେ ପାଳନ କରିବାକୁ ୟୁଜିସି ପକ୍ଷରୁ ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି କୌଣସି ଶିକ୍ଷାନୁଷ୍ଠାନ ୟୁଜିସି ଗାଇଡଲାଇନ୍ ଫଲୋ ନକରନ୍ତି ତେବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି ।