Home Politics ରାଜନଗରରୁ ଧ୍ରୁବ ନା ଅଂଶୁମାନ ?

ରାଜନଗରରୁ ଧ୍ରୁବ ନା ଅଂଶୁମାନ ?

by Admin
0 comment

ଜୋର ଧରିଲାଣି ରାଜନଗର ରାଜନୀତି । ୨୦୨୪ସାଧାରଣ ନିର୍ବାଚନ ପାଇଁ ସରଗରମ ରାଜନଗର ନିର୍ବାଚନମଣ୍ଡଳୀ । ଆସନ୍ତା ନିର୍ବାଚନରେ ଏଠାରେ କିଏ ହେବେ ବିଜେଡି ପ୍ରାର୍ଥୀ । ବର୍ତମାନ ବିଜେଡି ବିଧାୟକ ଧ୍ରୁବ ସାହୁ ହିଁ ପ୍ରାର୍ଥୀ ହେବେ ନା ତାଙ୍କ ସ୍ଥାନରେ ଆଉକିଏ ବାଜିମାରିନେବ ତା’କୁ ନେଇ ଲାଗିରହିଛି କଳ୍ପନାଜଳ୍ପନା । ଏହାରି ଭିତରେ ଆସିଛି କଂଗ୍ରେସର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କ କଥା ।

ଅଂଶୁମାନ ବିଜେଡ଼ିରେ ମିଶିବା ସହ ରାଜନଗରରୁ ବିଧାୟକ ପ୍ରାର୍ଥୀ ହେବ ବୋଲି ଆଲୋଚନା ହେଉଛି । ଗତ ୨୦୧୪ ନିର୍ବାଚନରେ କଂଗ୍ରେସରୁ ଏଠାରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଅଂଶୁମାନ । ମାତ୍ର ୨୦୧୯ରେ ତାଙ୍କୁ ପରାଜୟର ସ୍ୱାଦ ଚାଖିବାକୁ ପଡିଥିଲା । ଏବେ କଂଗ୍ରେସ ଦିନକୁ ଦିନ ଦୁର୍ବଳ ହେଉଥିବା ବେଳେ ଅଂଶୁମାନ ବିଜେଡ଼ିରେ ଯୋଗାଦେବା କଥା ଚର୍ଚ୍ଚା ହେଉଛି । ଏପରି କି ଏବେଠାରୁ ରାଜନଗରରେ ଅଂଶୁମାନ ବିଭିନ୍ନ କାର୍ଯ୍ୟକ୍ରମ କରୁଥିବା ବେଳେ ସେ କୌଣସି ଦଳୀୟ ଚିହ୍ନ ବ୍ୟବହାର କରୁନାହାନ୍ତି । ନା କଂଗ୍ରେସ ନେତୃତ୍ୱଙ୍କ ଫଟୋ ଦେଉଛନ୍ତି ନା ବିଜେଡ଼ି ନେତାଙ୍କ ଫଟୋ ଦେଖିବାକୁ ମିଳୁଛି । ବିଜେଡ଼ିରେ ସାମିଲ ହେବା ନେଇ ଅଂଶୁମାନ ତାଙ୍କ ସମର୍ଥକମାନଙ୍କୁ କହୁଥିବା କଥା ଆଲୋଚନା ହେଉଛି ।

ତେବେ ସତରେ କ’ଣ ବିଜେଡ଼ି ଧ୍ରୁବଙ୍କ ବଦଳରେ ଅଂଶୁମାନଙ୍କୁ ଦଳୀୟ ଟିକେଟ୍ ଦେବ ବୋଲି ଏବେ ଚର୍ଚ୍ଚା ଜୋର ଧରିଛି । କାରଣ ଅଂଶୁମାନ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ନଳିନୀ ମହାନ୍ତିଙ୍କ ପୁଅ । ନଳିନୀ ବିଜୁ ଲିଗାସିରେ ସୁପର ଚିପ୍ ମିନିଷ୍ଟର ଭାବେ ବେଶ୍ ଜଣାଶୁଣା ଥିଲେ । ଏପରି କି ସେ ଓ ତାଙ୍କର କିଛି ସମର୍ଥକ ସେ ହିଁ ନବୀନଙ୍କୁ ବିଦେଶରୁ ଆଣି ରାଜ୍ୟରେ କ୍ଷମତାରେ ବସାଇଥିବା ଅନେକଥର ଗଣମାଧ୍ୟମରେ ଚର୍ଚ୍ଚା ହୋଇଛି । ମାତ୍ର ତାଙ୍କୁ ବିଜେଡ଼ିରୁ ବହିଷ୍କୃତ କରାଯିବା ପରେ ତାଙ୍କ ପୁଅ ଅଂଶୁମାନ କଂଗ୍ରେସରେ ଯୋଗଦେବା ସହ ଗତ ୨୦୧୪ ନିର୍ବାଚନରେ ବିଜୟୀ ହୋଇଥିଲେ । ହେଲେ ଏବେ କିନ୍ତୁ ବଦଳିଯାଇଛି ରାଜନୈତୀକ ଚିତ୍ର ।

ବିଜେଡ଼ି ୨୫ବର୍ଷ ଧରି ଶାସନ କ୍ଷମତାରେ ଥିବା ବେଳେ ତା’ର ପତିଆରା ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏଣୁ ରାଜନୀତିରେ ସବୁକିଛି ସମ୍ଭବ ଷ୍ଟାଇଲରେ ଅଂଶୁମାନ ବିଜେଡ଼ିରେ ସାମିଲ ହୋଇପାରନ୍ତି । ଆଉଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଅଂଶୁମାନ ଏବେ ବି କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ସଭାପତି ଅଛନ୍ତି । ଜଣେ ଯୁବନେତା ଭାବେ ତାଙ୍କର ରହିଛନ୍ତି ଅନେକ ସମର୍ଥକ । ତେଣୁ ବିଜେଡ଼ି ଅଂଶୁମାନଙ୍କୁ ଦଳକୁ ନେଇ ଗୋଟିଏ ଗୁଳିରେ ୨ଟି ଶିକାର କରିପାରିବ ବୋଲି କୁହାଯାଉଛି । ଗୋଟିଏପଟେ ଅଂଶୁମାନ କଂଗ୍ରେସ ଛାଡି ବିଜେଡ଼ିରେ ସାମିଲ ହେଲେ କଂଗ୍ରେସର ଅନେକ ନେତା ବି ବିଜେଡିରେ ମିଶିବାର ସମ୍ଭାବନା ରହିଛି । ଯେଉଁଥିପାଇଁ ବିଜେଡିର ଶକ୍ତି ପୂର୍ବାପେକ୍ଷା ଆହୁରି ବୃଦ୍ଧି ପାଇବ । ତେଣୁ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ରାଜନଗରେ ଏକ ରୋଚକ ସ୍ଥିତି ସୃଷ୍ଟି ହେବ ବୋଲି କହୁଛନ୍ତି ରାଜନୈତୀକ ସମୀକ୍ଷକ ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc