୨୦୨୪ ନିର୍ବାଚନକୁ ଆଉମାତ୍ର କେଇମାସ ବାକି । ହେଲେ ଏବେଠୁ ସରଗରମ ହେଲାଣି ରାଜ୍ୟ ରାଜନୀତି । ଦୁଇ ପ୍ରମୁଖ ଜାତୀୟ ଦଳ କଂଗ୍ରେସ ଓ ବିଜେପି ସହ ଅନେକ ଆଂଚଳିକ ଦଳ ପ୍ରସ୍ତୁତ କଲେଣି ବ୍ଲୁ ପ୍ରିଂଟ୍ । ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଓଡ଼ିଶାର ୩ ପ୍ରମୁଖ ରାଜନୈତିକ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସ ମଧ୍ୟରେ ଆରମ୍ଭ ହୋଇଛି ଅଙ୍କକଷା । ଏସବୁ ଭିତରେ ଗତ ୨୩ବର୍ଷ ଧରି ଓଡ଼ିଶାରେ କ୍ଷମତାସୀନ ଥିବା ବିଜେଡ଼ି ଏବେଠାରୁ ଆରମ୍ଭ କରିଛି ଜୋରଦାର ପ୍ରସ୍ତୁତି । ଭୋଟରଙ୍କ ମୁଡ୍ ପରଖିବାକୁ ଏବେ ଆରମ୍ଭ ହୋଇଛି ସ୍ୱତନ୍ତ୍ର ସର୍ଭେ ।
ବିଜେଡ଼ିର ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଆଗାମୀ ନିର୍ବାଚନରେ ଦଳର ବିଧାୟକଙ୍କ ମଧ୍ୟରୁ ପ୍ରାୟ ୫୦ପ୍ରତିଶତ ବିଧାୟକଙ୍କ ଟିକେଟ୍ କଟିବ ବୋଲି ଜଣାପଡ଼ିଛି । କେବଳ ସେତିକି ନୁହେଁ ଦଳ କିଛି ପୁରୁଖା ନେତାଙ୍କୁ ବି ଟିକେଟ୍ ନଦେବାକୁ ନେଇଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି । ସେହିପରି ସର୍ଭେ ରିପୋର୍ଟ ଆଧାରରେ ଦଳ ଆଗାମୀ ନିର୍ବାଚନରେ କାହାକୁ ପୁଣିଥରେ ବିଧାୟକ ଓ ସାଂସଦ ଭାବେ ରିପିଟ୍ କରିବ ତ ପୁଣି କେଉଁଠି ନୂଆ ମୁହଁ ତେବ ତାର ନିଷ୍ପତି ନେବେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସର୍ଭେ ଟିମ୍ ଭୋଟର ତାଲିକା ଧରି ଗାଁ ଗାଁ ବୁଲି ପ୍ରାୟ ୨୧ଟି ପ୍ରଶ୍ନ ମାଧ୍ୟମରେ ଭୋଟରଙ୍କ ମୁଡ୍ ପରଖୁଛି । ପ୍ରଥମ ପର୍ଯ୍ୟାୟରେ ବିଜେଡ଼ି ପକ୍ଷରୁ ବାଲେଶ୍ୱର ଜିଲ୍ଲାରେ ଆରମ୍ଭ ହୋଇଛି ସର୍ଭେ । ଏଥିପାଇଁ ଟିମ୍ ଏକ ନିର୍ଦ୍ଦିଷ୍ଟ ଫର୍ମାଟରେ ଏଠାରେ ଲୋକଙ୍କ ମତାମତ ସଂଗ୍ରହ କରୁଛି ।
ଏପରି କି ଦଳର ୪୬ଜଣ ନୂଆ ବିଧାୟକଙ୍କ ମଧ୍ୟରୁ ପ୍ରାୟ ୫୦ପ୍ରତିଶତଙ୍କୁ ପୁଣିଥରେ ଟିକେଟ୍ ମିଳିନପାରେ । ଦଳ ପାଖରେ ଏବେ ୧୬ଜଣ ମହିଳା ବିଧାୟିକା ଥିବା ବେଳେ ସେମାନଙ୍କ ସଂଖ୍ୟା ଆହୁରି ବୃଦ୍ଧି କରିବା ସହ ମହିଳାଙ୍କୁ ଟିକେଟ୍ ଦେଇପାରେ ବିଜେଡ଼ି । ତେବେ ଏହି ସର୍ଭେ ରିପୋର୍ଟ ଆଧାରରେ ଦଳ ନିଜର ରଣନୀତିକୁ ଚୂଡାନ୍ତ କରିବ ବୋଲି ସୂଚନା ମିଳିଛି । ଆଉଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆସନ୍ତା ସାଧାରଣ ନିର୍ବାଚନ ୨୦୨୪ ଫେବୃଆରୀ ମାସରେ ହେବାର ସମ୍ଭାବନା ରହିଛି । ହେଲେ ଏହାର ବର୍ଷେ ପୂର୍ବରୁ ବିଜେଡ଼ି ଆଗୁଆ ପ୍ରସ୍ତୁତି ଚଳାଇଛି ।