ଉଜ୍ଜ୍ୱଳା ଗ୍ରାହକଙ୍କ ପାଇଁ ଖୁସି ଖବର । ଦେଶର ଉଜ୍ଜ୍ୱଳା ଗ୍ୟାସ ଉପଭୋକ୍ତାଙ୍କ ଲାଗି ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଦେଶରେ ଥିବା ୯.୫୯କୋଟି ଲାଭାର୍ଥୀଙ୍କୁ ମିଳିବ ସବସିଡି । ଏହି ଗ୍ୟାସ ଉପଭୋକ୍ତାଙ୍କୁ ୨ଶହ ଟଙ୍କା ଲେଖାଏଁ ରିହାତି ଆସନ୍ତା ବର୍ଷେ ଯାଏଁ ମିଳିବ । ହେଲେ ଏହି ରିହାତି ମାତ୍ର ଗୋଟିଏ ସିଲିଣ୍ଡର ଉପରେ ମିଳିବ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର । ସରକାର ୨୦୨୨ରେ ଉଜ୍ଜ୍ୱଳା ଉପଭୋକ୍ତାଙ୍କୁ ପ୍ରତି ସିଲିଣ୍ଡର ପିଛା ୨ଶହ ଟଙ୍କାର ସବସିଡି ଦେବାକୁ ଘୋଷଣା କରିଥିଲେ । ଏଭଳି ସ୍ଥିତିରେ ଏହାକୁ ଆହୁରି ବର୍ଷେ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର ।
ଏଥିପାଇଁ ୨୦୨୨-୨୩ବର୍ଷରେ ଅଧିକ ୬ହଜାର ଶହେ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିବା ବେଳେ ୨୦୨୩-୨୪ବର୍ଷରେ ଏଥିପାଇଁ ୭ହଜାର ୬୮୦କୋଟି ଟଙ୍କା ଖର୍ଚ୍ଚ ହେବ । ସବସିଡି ବାବଦ ଅର୍ଥ ସିଧା ଗ୍ରାହକଙ୍କ ଆକାଉଂଟକୁ ଯିବ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର । ସୂଚନା ମୁତାବକ ଏବେ ୨୦୨୪ନିର୍ବାଚନକୁ ଆଉମାତ୍ର ଅଳ୍ପ କେଇଦିନ ବାକି ଥିବାବେଳେ କେନ୍ଦ୍ର ପକ୍ଷରୁ ସାଧାରଣ ଜନତାଙ୍କ ପାଇଁ ଅନେକ ଯୋଜନା କରାଯାଉଛି । ନିକଟରେ ଚାଷୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ଏଫପିଓ ସ୍କିମରେ ପ୍ରତି ଚାଷୀଙ୍କୁ ୧୫ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ପୋଷ୍ଟାଲରେ ମଧ୍ୟ ଅନେକ ଯୋଜନାର ଶୁଭାରମ୍ଭ କରିଛନ୍ତି । ସେହିପରି ସପ୍ତମ ବେତନ କମିଶନ ଲାଗୁ କରିବା ସହ ଏଥିରେ ୪ପ୍ରତିଶତ ଡିଏ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଏହାସହ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ଓ ଗୃହିଣୀମାନଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଛି କେନ୍ଦ୍ର । ଏହି ପରିପ୍ରେକ୍ଷୀରେ ଆଜି ଉଜ୍ୱଳା ଗ୍ୟାସରେ ବି ସବସିଡି ଦେବାକୁ ଘୋଷଣା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ।